ସମାଜ ପ୍ରତି ସ୍ୱାର୍ଥ ର ପ୍ରଭାବ
ବର୍ତ୍ତମାନ ବିଶ୍ୱରେ ନାନାଦି ପ୍ରକାର ବିଶୃଙ୍ଖଳା ବଢିବାରେ ଲାଗିଛି । କେଉଁଠି ଯୁଦ୍ଧ ତ ଆଉ କେଉଁଠି ଗଣ ହତ୍ୟା । କେଉଁଠି ଆତଙ୍କବାଦ ତ ଆଉ କେଉଁଠି ପୁଣି ମାଓବାଦ। କିଏ କାହାକୁ ଅପହରଣ କରିଲାଣି ତ ଆଉ କିଏ ହତ୍ୟା । ସବୁଠି ଦୃଷ୍ଟି ଗୋଚର ହେଉଛି, କେବଳ ଆଉ କେବଳ ପଶୁତ୍ଵର ହିଂସ୍ର ପ୍ରକୃତି । ଯେପରି କି ନିଜ ସ୍ବାର୍ଥ ପାଇଁ ମନୁଷ୍ୟ ଆଜି ପାଲଟି ଯାଇଛି ହିଂସ୍ର ଜନ୍ତୁ ଟିଏ, ଯାହାର କି ଉଦ୍ଦେଶ୍ୟ କେବଳ ନିଜ ସ୍ବାର୍ଥ ସାଧନ। କାହାର କିଛି ହଉ କି ନ ହଉ ନିଜର ସ୍ବାର୍ଥ ହାସଲ ହେବା କିନ୍ତୁ ନିତ୍ୟାନ୍ତ ଆବଶ୍ୟକ । ଆପଣ ମାନେ ଅନୁଧ୍ୟାନ କଲେ ଜାଣି ପାରିବେ ଯେ ସବୁ ସମସ୍ୟା ର ମୁଖ୍ୟ କାରଣ ହେଉଛି ସ୍ଵୟଂ ର ସ୍ବାର୍ଥ । ଇତିହାସ ସାକ୍ଷୀ, ଯେବେ ଯେବେ ମାନବ କଲ୍ୟାଣ ଉପରେ ଭାରି ପଢେ ବ୍ୟକ୍ତି ସ୍ବାର୍ଥ, ସେତେବେଳେ ପୁରା ଜଗତକୁ ଗ୍ରାସ କରେ ଏକ ଭୟଙ୍କର ବିପଦ । ଯୁଗ ପରେ ଯୁଗ ବିତି ଯାଇ ଆଜି ଆମେ କଳି ଯୁଗରେ ପହଞ୍ଚିଛେ କିନ୍ତୁ ଆମେ ନିଜ ସ୍ୱାର୍ଥକୁ ଭୁଲି ପାରିନାହେଁ। ସମସ୍ତ ଯୁଗରେ ଯୁଗର ଅନ୍ତ ଘଟିଛି କେବଳ କିଛି ବ୍ୟକ୍ତି ସ୍ବାର୍ଥ ଲାଗି । ଏହି ସ୍ବାର୍ଥ ଯାହାକି ପରସ୍ପର ଭିତରେ କଳହ ସୃଷ୍ଟି କରିବା ସହ ପରଷ୍ପର ପାଇଁ ସୃଷ୍ଟି କରେ ଶତ୍ରୁତାର ଅଧ୍ୟାୟ। ପୁଣି ସେହି ସ୍ବାର୍ଥ କେତେ ବେଳେ କାଳ ହେଇ ଅନ୍ୟର ପ୍ରାଣ ହରଣ କରି ନିଏ ତ ପୁଣି କିଏ ଅପରାଧର ଅନୀତିକୁ ନିଜ ଅସ୍ତ୍ର କରି ପକାଏ। ...