କଥା କୁହା ଠାକୁର
ମାମା ବୁଟୁକୁ ଆକଟ କରୁନ।ସେ ଥାକ ଗୁଡା ଖେଳେଇ କେମିତି କରୁଛି ? ମୁଁ କଲେଜ ଯିବା ଦିନଠାରୁ ବୁଟୁ ଖୁବ୍ ଦୁଷ୍ଟ ହୋଇ ଗଲାଣି।ଭଲ ଜିନିଷ ରଖିବାକୁ ଜାଗା ନାହିଁ ।ଗଡ୍ ରେଜ ରେ ଦେଖିଲ ଏ ପୁରୁଣା କେଉଁ କାଳର ସାର୍ଟ ପ୍ୟାଣ୍ଟ ଓ ସାଲ୍ ସାଇତି ରଖା ଯାଇଛି ? ପାପା କଣ ଆଗେ ଏମିତି ଢିଲା ପ୍ୟାଣ୍ଟ ହାତ କଟା ସାର୍ଟ ପିନ୍ଧୁଥିଲେ କି ମାମା? ସାଲ୍ ଟି ଦେଖେ ତ ଗୋଟେ ଜାଗାରେ କଣା।ଏମିତି ଜିନିଷ କେହି ସାଇତି ରଖେ କହି ବଂଶୀକା ଘର ଚଟାଣକୁ ଫିଙ୍ଗିଦେଲା ସେ ଗୁଡାକ।
ଦୁଲ୍ ଦାଲ୍ ଶବ୍ଦ ଶୁଣି ମୁଁ ପରୀକ୍ଷା ପାଇଁ ପ୍ରଶ୍ନ ପ୍ରସ୍ତୁତ କରିବା ଛାଡି ଘର ଭିତରକୁ ଦଉଡ଼ି ଗଲି।କଣ ଫିଙ୍ଗା ଫିଙ୍ଗି କରୁଛୁ ବଂଶୀକା ? ପୁରୁଣା ଜିନିଷ ଗୁଡାକ କାଢି ସଫା କରୁଛି।ତୁମେ ତ ଏଣୁ ତେଣୁ ଜିନିଷରେ ଗଡ୍ ରେଜ ଭରିଛ।ବୁଟୁ ଥାକ ଖେଳେଇ ଗୁହାଳ କରିଛି।ସବୁ ସଫା କରି ସାଇଜ କରି ଯିବି।ଆର ଥର ଆସିଲା ବେଳକୁ ଘଣ୍ଟା ଘଣ୍ଟି ହୋଇଥିଲେ ବୁଟୁର ଦିନେକୁ ମୋର ଦିନେ।ସପ୍ତମରେ ପଢିଲାଣି ସଜାଇ ରଖିବା କି ସାଇତି ରଖିବା ଶିଖିଲା ନାହିଁ।ତୁମେ ତାକୁ ବେଶୀ ମୁହଁ ଦେଇଛ ମାମା।
ବଂଶୀକା କଣ କଲୁ? ଠାକୁରଙ୍କ ଜିନିଷ ଫିଙ୍ଗିଦେଲୁ?
ଠାକୁରଙ୍କ ଜିନିଷ ! କାଇଁ !!
ଏଇ ସାର୍ଟ ପ୍ୟାଣ୍ଟ ଓ ସାଲ୍ ପରା।
ହସି ହସି ଗଡି ଯାଇ ବଂଶୀକା କହିଲା ଓହୋ ମାମା ଏଇ ଫୁଟା ସାଲ୍ ଓ ପୁରୁଣା କାଳିଆ ସାର୍ଟ ପ୍ୟାଣ୍ଟ ଠାକୁର ପିନ୍ଧନ୍ତି !
ହଁ କଥାକୁହା ଠାକୁର ପିନ୍ଧନ୍ତି।
ବିସ୍ମିତ ହୋଇ ବଂଶୀକା କହିଲା କଥା କୁହା ଠାକୁର !
ହଁ ଚଳନ୍ତି କଥା କୁହା ଠାକୁର।ଯାହାଙ୍କୁ ଡାକିଲେ ଓ କରନ୍ତି।ଝୁଣ୍ଟି ପଇଲେ ଉଠାଇ ଝାଡ଼ି ଦିଅନ୍ତି।ଆମେ ଖାଇଲେ ଯାହାଙ୍କ ପେଟ ପୁରେ।ଆମେ ହସିଲେ ଯାହାଙ୍କ ମୁହଁରେ ଖୁସି ଉକୁଟେ।
ମୋ ଇଞ୍ଜିନିୟରିଙ୍ଗ୍ ମୁଣ୍ଡରେ ଏ ସବୁ ଗୋଲ୍ ଗୋଲ୍ କଥା କିଛି ପଶୁ ନ ଥିଲା। ମାମା ମୁଁ କଲେଜ ଯିବା ଦିନଠାରୁ ଘରେ ପ୍ରାୟତଃ ଏକା ରହୁଛନ୍ତି।ବୁଟୁ ତ କ୍ରିକେଟ ବାଡ଼ିଆ ନଲେ ଫୋନ୍ ଧରି ଖେଳରେ ମାତୁଛି। ପାପା ହାଇଦ୍ରାବାଦରେ ।ମାମା କାହା ସଂଗେ କଥା ବାର୍ତ୍ତା ନ ହୋଇ ପାରି ଡିପ୍ରେସନ ଆଡକୁ ଚାଲି ଗଲେଣି କି ? ଏମିତି କଣ କହୁଛନ୍ତି?ମାମା କଣ କହୁଛ ମୁଁ ବୁଝି ପାରୁନାହିଁ?
ତୁମେ ଏ ଯୁଗର ପିଲା ବଂଶୀକା। ଏସବୁ ତୁମ ମଗଜରେ ପଶିବ ନାହିଁ । ତୁମେ ତ ଯନ୍ତ୍ର ସହ ମିତ ବସିଲ, ସମ୍ପର୍କ ଯୋଡିଲ ତୁମେ ଚଳନ୍ତି କଥାକୁହା ଠାକୁର ଜାଣିଲ କେତେବେଳେ !ଏ ସାର୍ଟ ପ୍ୟାଣ୍ଟ ଓ ସାଲ୍ ମୋ ବାପାଙ୍କର।
ମୋ ଅଜାଙ୍କର !
ହଁ ତୋ ଅଜାଙ୍କର।
ମୁଁ ତ ଅଜାଙ୍କୁ ଦେଖିନି?
ସେ କଣ ଅଛନ୍ତି ଯେ ତୁ ଦେଖିବୁ ?କିନ୍ତୁ ଏଇ ସାର୍ଟ ଫ୍ୟାଣ୍ଟ ଓ ସାଲ୍ ରେ ମୋ ବାପା ଅଛନ୍ତି ମୋତେ ଲାଗେ। ତୁ ଅଳିଆ କହି ଫିଙ୍ଗିଦେଲୁ !
ସାର୍ଟ ପ୍ୟାଣ୍ଟ ଓ ସାଲ୍ ଧରି ମୋର ଦୀର୍ଘଶ୍ଵାସ ଟିଏ ବାହାରି ଆସିଲା।ଲୁହ କେଇଟୋପା ଝରି ପଡିଲା ତା ଉପରେ।
ସରି ମାମା ମୁଁ ଜାଣି ନଥିଲି ଏ ସବୁ ଅଜାଙ୍କର।
ଜାଣିଛୁ ବଂଶୀକା ମୋ ବାପା ମେଟ୍ରିକ ପାସ୍ ଟିଏ କରିଥିଲେ।ହେଲେ ଅଗାଧ ଜ୍ଞାନ ତାଙ୍କର।ଛୋଟ କାଟିଆ କମ୍ପାନୀ ଚାକିରିକୁ ଆମେ ଚାରି ଭାଇ ଭଉଣୀ ,ଦୁଇ ପିୟୁସି ନାନୀ ଓ ଜେଜେ।ଖୁବ୍ କଷ୍ଟରେ ଚଳୁ ଆମେ। ସେଥିରେ ମାଆ ର ଲଗାତର ଦେହ ଖରାପ।ବର୍ଷକୁ ଥରେ ବାପା ଘରକୁ ଆସନ୍ତି।ମାସେ ରହି ଯାଆନ୍ତି ତାଙ୍କ ଚାକିରିକୁ।ସେଇ ମାସକ ଭିତରେ ଆମ ଚାରି ଭାଇ ଭଉଣୀଙ୍କୁ କେତେ କଥା ଶିଖାନ୍ତି ! ଦୂରରେ ଥିଲେ ବି ଚିଠି ଦ୍ୱାରା ଆମକୁ ସବୁ ସଂସ୍କାର, ଆଚାର ,ବ୍ୟବହାର ଶିଖାଇ ଦେଇଛନ୍ତି। ଗପ ଆକାରରେ ରାମାୟଣ, ମହାଭାରତ ଶୋଇଲା ବେଳେ କୁହନ୍ତି।ବାପା ମଝିରେ ଆମେ ଭାଇ ଭଉଣୀ ଦୁଇ ପଟେ ବାପାଙ୍କୁ ଘେରି ଶୋଉ।ଜୀବନରେ ଅସୁବିଧା ଆସିଲେ କେମିତି ସାହାସର ସହ ସାମାନା କରିବ କୁହନ୍ତି। ମୁଁ ଚାରି ପିଲାରେ ସବୁଠୁ ସାନ।ମୋ ସ୍ମରଣ ଶକ୍ତି ପ୍ରଖର।ବାପା ଯାହା କୁହନ୍ତି ସବୁ ମୋ ମୁଣ୍ଡରେ ଟାଇପ ହୋଇଯାଏ। ଗପ କହି ସାରି ପ୍ରଶ୍ନ ପଚାରନ୍ତି କାହାର କେତେ ମନେ ରହିଲା ଜାଣିବା ପାଇଁ।କିଏ ଅଧିକ ମନେ ରଖିବ ଆମ ଭାଇ ଭଉଣୀ ମଧ୍ୟରେ ପ୍ରତିଯୋଗିତା ଚାଲେ। ମୁଁ ତ ସ୍କୁଲ ଘର ମାଡି ନଥାଏ।କିନ୍ତୁ ସବୁଠୁ ଅଧିକ ଉତ୍ତର ମୁଁ ହିଁ ଦିଏ।ବାପା ଆଶ୍ଚର୍ଯ୍ୟ ହୋଇ କୁହନ୍ତି , ବିଜିର ମନେ ରଖିବା ଶକ୍ତି ତୁମ ସଭିଙ୍କ ଠାରୁ ଅଧିକ। ତାକୁ ଦୁଇଟି ଚକଲେଟ୍ ମିଳିବ । ଚକଲେଟ୍ ଲୋଭରେ ନୁହେଁ ବାପା ମୋତେ ଅଧିକ ଭଲ ପାଆନ୍ତୁ ସେଇ ଚେଷ୍ଟା ରେ ଥାଏ ମୁଁ।
ଜାଣିଛୁ ନା ବଂଶୀକା !ଶେଷ ସନ୍ତାନ ଭାବେ ସମସ୍ତେ ପୁଅଟିଏ ଚାହୁଁ ଥିଲେ।ମୁଁ ଝିଅ ହେବାରୁ ମୋ ଜେଜେ ମନ ଊଣା କଲେ।ସେଇଥିପାଇଁ ମୋର ଏକୋଇଶିଆ ହୋଇନି କି ଜାତକ ବି ନାହିଁ।ଦୁଇ ଭଉଣୀ ଓ ଗୋଟିଏ ଭାଇ ଆଗରୁ ଥିଲେ।ମୁଁ ବି ପୁଅଟିଏ ହୁଏ ବୋଲି ସମସ୍ତଙ୍କ ଆଶା ଧୂଳି ସାତ ହେଲା ଯେତବେଳେ ମୁଁ ଜନ୍ମ ନେଲି।ଘରେ କେହି ମୋତେ କୁଆଡେ ଭଲ ପାଉ ନଥିଲେ।ଏମିତି ବି ଜେଜେ ଚାହୁଁଥିଲେ ମୁଁ ମରିଯାଏ।ମୋ ଜନ୍ମରେ ସମସ୍ତେ ବ୍ୟତି ବ୍ୟସ୍ତ ହୋଇ ପଡିଲେ ବୋଲି ବଡ଼ ପିୟୁସି ନାନୀ ମୋ ନାଁ ରଖିଦେଲେ " ବିଜି"।ପିୟୁସି ନାନୀ ଦୁଇକୁ ମୋର ଭଉଣୀ ଦୁଇ।ପୁଣି ମୁଁ ହେବାରୁ ପାଞ୍ଚ ଝିଅ ହୋଇଗଲୁ ତ ଜେଜେ ଙ୍କ ଚିନ୍ତା ବଢିଗଲା।କିନ୍ତୁ ଜାଣିଛୁ ଚାରି ପିଲାଙ୍କ ଭିତରେ ମୁଁ ବାପାଙ୍କର ଭାରି ଗେହ୍ଲା ଥିଲି। ସେଇଥିପାଇଁ ବାପା ମୋ ନାଁ ସ୍କୁଲରେ ଲେଖିଲେ ବିଜୟିନୀ।
ଜେଜେ ମୋ ଉପରକୁ ଖାଲି ଚିଡନ୍ତି ।ବାପା ଜେଜେଙ୍କୁ କୁହନ୍ତି , " ଦେଖିବ ବାପା ବିଜି ତୁମ ନାଁ ରଖିବ।"ହଉ ରଖ ତୋ ଝିଅ ସୁଆଗ । ପର ପରିବା, ବଢି କୁଢି ପର ଘରେ ଯାଇ ଘର କରିବେ।ପୁଅଟିଏ ହୋଇଥିଲେ ସିନା ମୋ ନାତି ସାଙ୍ଗକୁ ଯୋଡିଦାର ହୋଇ ବାହାରି ପଡ଼ିଥାନ୍ତା।ଦୈଵକୁ କଣ କହିବ, ମୋତେ ଦୁଇଟି ଝିଅ ଦେଲେ ପୁଣି ମୋ ପୁଅକୁ ତିନୋଟି । ପାଞ୍ଚ ପାଞ୍ଚଟା ବୋଝ ଉଠାଉ ଉଠାଉ ତୋ ବଳ ବୟସ ରଦି ହୋଇଯିବରେ ଶ୍ରୀକାନ୍ତ।
ବାପା ହସି ହସି କୁହନ୍ତି ,ତୁମେ ବ୍ୟସ୍ତ ହୁଅନି ବାପା ମୋ ଦୁଇ ଭଉଣୀ ଓ ମୋ ତିନି ଝିଅ କାହା ଉପରେ ବୋଝ ହେବେନି ।ଦେଖିବ ପାଠ ଶାଠ ପଢି ନିଜ ଗୋଡ଼ରେ ଠିଆ ହେବେ। ବର ଧାଡ଼ି ଲାଗିବେ ଆମ ଝିଅଙ୍କୁ ବିବାହ କରିବାକୁ।ଜେଜେ ଉପରକୁ ହାତ ଯୋଡି କୁହନ୍ତି ତୋ ତୁଣ୍ଡ ସୁ ତୁଣ୍ଡ ହେଉ ରେ ଶ୍ରୀକାନ୍ତ।
ବାପା ପୁଅ ଝିଅରେ କିଛି ପ୍ରଭେଦ ରଖୁ ନଥିଲେ।ଉପଯୁକ୍ତ ଶିକ୍ଷା ଦୀକ୍ଷା ଦେଲେ ପୁଅ ହେଉ କି ଝିଅ ସେମାନେ ନିଶ୍ଚିତ ଭଲ ମଣିଷ ହେବେ,ଉପାର୍ଜନକ୍ଷମ ହେବେ ବୋଲି ବିଶ୍ବାସ ରଖୁଥିଲେ। ଅଳ୍ପ ସିନା ରୋଜଗାର ବୋଲି ଭଲ ଖାଇବା କି ଭଲ ପିନ୍ଧିବା ଆମ ଭାଗ୍ୟରେ ଜୁଟିନି କିନ୍ତୁ ହସ ଖୁସିଆ ପରିବାର ଈଶ୍ୱର ଆମକୁ ଦେଇଥିଲେ। ସତକୁ ସତ ମୋ ପିୟୁସି ନାନୀ ଜଣେ ଶିକ୍ଷକ ଓ ଅନ୍ୟ ଜଣେ ନର୍ସ ହେଲେ ଓ ବିନା ଯୌତୁକରେ ବାହାଘର ହେଲା।
ବାପା ଆମ ମନରେ ସ୍ୱପ୍ନ ଖାଲି ଭରନ୍ତି ନାହିଁ ବରଂ ସେ ସ୍ୱପ୍ନକୁ କେମିତି ସତ କରିବ ସେ କଥା ବି ଶିଖାନ୍ତି।ଚିଠିରେ ଚିଠିରେ ଗଢି ଦିଅନ୍ତି ଆମକୁ। ଦୋକାନ ବଜାର କରିବାକୁ ଆମକୁ ପଠାନ୍ତି ହିସାବ ପତ୍ର ନିର୍ଭୁଲ ଶିଖି ହୋଇଯାଏ ପ୍ରତ୍ୟେକ୍ଷ ଜ୍ଞାନରୁ।ସବୁବେଳେ ସୁଯୋଗ ସୃଷ୍ଟି କରନ୍ତି ଆମେ ନିଜେ କିପରି ଅନ୍ୟ ଉପରେ କୌଣସି କାମରେ ନିର୍ଭରଶୀଳ ହେବୁ ନାହିଁ। ଏମିତି ଉପାୟରେ ସେ ସବୁ ଶିଖାନ୍ତି ମାତ୍ର ଗୋଟିଏ ଲକ୍ଷ୍ୟରେ ଯାହା ସରଳ ଖେଳ କି ଗପ ମାଧ୍ୟମରେ ଆମେ ଜାଣି ପାରୁନା। ପରେ ଅନୁଭବ କରୁ ଗପରୁ କି ଖେଳରୁ କିଛି ଶିଖିଲୁ ଯାହା କେବେ ଭୁଲିବାର ନାହିଁ।ଆମେ ସମସ୍ତେ ସାଇକେଲ ଶିଖିଥିଲୁ । ଦୋକାନ ସଉଦା କରିବାରେ ଓସ୍ତାତ୍ ଥିଲୁ। ପାଠ ପଢ଼ାରେ ବି କମ୍ ନୋହୁଁ।
ସବୁଠାରୁ ମୁଁ ଭଲ ପଢ଼ୁଥିଲି।ମୋ ଶ୍ରେଣୀଠାରୁ ଅଧିକ ପାଠ ଅଳ୍ପ ସମୟ ଭିତରେ କରାୟତ କରୁଥିଲି । ଏଣୁ ବାପା ମୋ ଭିତରେ ବିରାଟ ସମ୍ଭାବନା ଟିଏ ଦେଖୁଥିଲେ।ସବୁ ଭଲ ଭିତରେ ଗୋଟେ ଖରାପ ଗୁଣ ମୋର ଥିଲା।ଟିକେ ଟିକେ କଥାରେ ଝର ଝର ହୋଇ କାନ୍ଦି ପକାଇବା।ଥରେ ଏମିତି କାନ୍ଦିଲି ଯେ କେହି ବୁଝାଇ ପାରିଲେ ନାହିଁ।ବାପା ଘରକୁ ଆସିଥାନ୍ତି।ସେ ମୋତେ କୋଳରେ ବସାଇ କହିଲେ ଜୀବନରେ କେବେ କାନ୍ଦିବୁନି ବିଜି।ଲୁହ ଭବିଷ୍ୟତ ରାସ୍ତା ଝାପ୍ସା କରିବ।
ଯେତେ କଷ୍ଟ ହେଉ ନା କାହିଁକି ମୁହଁ ହସ ହସ କରିବୁ। ଯଦି ଲୁହ ଝରାଇବୁ ଅନ୍ୟ ମାନେ ତୋତେ ଦୁର୍ବଳ ଭାବିବେ।ତୋ ଲୁହ ପୋଛିବାକୁ ନୁହେଁ ବରଂ କିଛି କଥା କହି ତୋତେ ସାନ୍ତ୍ୱନା ଦେବା ଛଳରେ ଆହୁରି କନ୍ଦେଇ ଦେବେ। ତୁ ଦର୍ଶନର ପାତ୍ରୀଟିଏ ବନିଯିବୁ।ଯେତେବେଳେ ବାପା ଏ କଥା କହିଥିଲେ ମୁଁ ଏସବୁ ବୁଝି ପାରି ନଥିଲି।କିନ୍ତୁ ଟାଇପ ହୋଇ ରହିଗଲା ଚିର ଦିନ।କାନ୍ଦିବା ଭଲ କଥା ନୁହେଁ।ମୁଁ ଆଉ କାନ୍ଦିବିନି ଏଇଟା ପକ୍କା କରି ଏମିତି ନେଲି ଯେ ଆଜିଯାଏ କେବେ କାନ୍ଦି ନାହିଁ ।
ଏବେ ସମସ୍ତେ କୁହନ୍ତି ବିଜିର ହସିଲା ଡଉଲ ଡାଉଲ ମୁହଁଟିଏ।ବୋପା ମୁହଁକୁ ପୁରା ଛଡେଇ ଆଣିଛି।ବାପା ତୁମ କଥା ମାନିଛି। ଯେତେ ଦୁଃଖ ଆସିଲେ ବି କାନ୍ଦିନି କେବେ ବି।
ଜାଣିଛୁ ବଂଶୀକା ଏମିତି ଥିଲେ ମୋ ବାପା।କିନ୍ତୁ ଆମର ଦୁର୍ଭାଗ୍ୟ ବାପାଙ୍କ ସ୍ନେହ କି ଉପଦେଶ ପାଇବା ଭାଗ୍ୟ ଖୁବ୍ କମ୍ ବୟସ ଯାଏ ଥିଲା ଆମର।ମୋ ତିନି ଭାଇ ଭଉଣୀ ଟିକେ ଠେକ ହୋଇଥିଲେ ।କିନ୍ତୁ ମୁଁ ମାତ୍ର ତୃତୀୟରେ ପଢ଼ୁଥିଲି।ଡାକରେ ଖବର ଆସିଲା ବାପାଙ୍କ ହାର୍ଟ ଆଟାକ୍ ରେ ମୃତ୍ୟୁ ହୋଇଛି।ବାପାଙ୍କର ହାଇ ବ୍ଲଡ଼ ପ୍ରେସର ଥିଲା। ମାତ୍ର ଚଉରାଳିଶି ବର୍ଷ ବୟସରେ ସେ ଆମକୁ ଏକା କରି ଚାଲିଗଲେ।ସବୁଠାରୁ ବଡ଼ ଦୁଃଖ ଶେଷ ସମୟରେ ଆମେ କେହି ବାପାଙ୍କୁ ଦେଖି ପାରି ନଥିଲୁ। ମୋ ଶ୍ରିତମ ଭାଇକୁ ସଙ୍ଗରେ ନେଇ ଜେଜେ କଲିକତା ଯାଇ ଗଙ୍ଗାଧାରରେ ପୋଡି ଦେଇ ଆସିଥିଲେ ବାପାଙ୍କୁ।
ମା କିଛି ଦିନ ନିଶ୍ଚଳ ହୋଇ ପଡି ରହିଲା।ଭାଇ ଆ ଇ ଏ ,ନିଷ୍ଠା ଦି ନବମ ଓ ମିଷ୍ଟି ଦି ଅଷ୍ଟମ ରେ ପଢ଼ୁଥିଲେ ସେତେବେଳେକୁ।ଜେଜେ ସିନା ଭାବିଥିଲେ ବାପାଙ୍କ କାନ୍ଧରେ ଘର ଭାର ଦେଇ ନିଶ୍ଚିନ୍ତରେ ଆଖି ବୁଝିବେ ! ହେଲେ ସେ କଣ ଜାଣିଥିଲେ ଭାଙ୍ଗି ପଡିଥିବା ଅଣ୍ଟାରେ ତାଙ୍କର ଉଡ଼ି ଶିଖି ନଥିବା ଚାରି ଚାରିଟି ଛୁଆ ଓ ଅଳ୍ପ ବୟସ୍କା ବିଧବା ବୋହୂର ବୋଝ ନଦି ଦେଇ ଠକି ଦେବେ!!
ମୁଁ ମରଣ ଅର୍ଥ କଣ ବୁଝି ନଥିଲି।କିନ୍ତୁ ସମସ୍ତେ କାନ୍ଦୁଥିଲେ ବାପାଙ୍କ ନାମ ଧରି ଏକଥା ମୋତେ ବୁଝେଇ ଦେଇଥିଲା ଯେ କିଛି ଗୋଟେ ବଡ଼ ଖରାପ କଥା ହୋଇଛି।ଦୁଇ ପିୟୁସି ନାନୀଙ୍କ ସହାୟତା ଓ ଜେଜେଙ୍କ ଛତ୍ର ଛାୟା ତଳେ ଆମେ ବଢ଼ୁଥିଲୁ।ବାପା କାହିଁକି ଆସୁ ନାହାନ୍ତି ବୋଲି ଜେଜେ କି ମା କୁ ଯେବେ ପଚାରେ ଉତ୍ତରରେ କେବଳ ଲୁହ ବୁହେ ସେମାନଙ୍କ ଆଖିରୁ।ଯେଉଁଦିନ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ଜଗତସିଂହପୁର ଜିଲ୍ଲାରେ ପ୍ରଥମ ହୋଇଥିଲି ;ସେଦିନ ଏକା ଜିଦ୍ କଲି ମୁଁ ବାପାଙ୍କ ପାଖକୁ ଯିବି।ବାପା ମୁଁ ଜିଲ୍ଲାରେ ପ୍ରଥମ ହୋଇ ବୃତ୍ତି ପାଇବା କଥା ଶୁଣିଲେ ବହୁତ ଖୁସି ହେବେ।ଜେଜେ ମୋତେ ବାପାଙ୍କ ପାଖକୁ ନିଅ।ମାଆ ବାପାଙ୍କୁ ଚିଠି ଲେଖେ ସେ ଆସନ୍ତୁ।ଜେଜେ ମୋତେ ଫୁଲ ହାର ପିନ୍ଧା ବାପାଙ୍କ ଫଟୋ ପାଖକୁ ନେଇ କହିଲେ, ବିଜି ତୁ ଏଇ ଫଟୋକୁ କହ।ତୋ ବାପା ସବୁ ଶୁଣି ଖୁସି ହେବ।ବାପା ପରା ତୋର ସାତ ମାସ ହେବ ଏଇ ଫଟୋରେ ତୁମ ସହ ସବୁବେଳେ ଅଛି ! ତୁ କୁଆଡେ ଯିବୁ କହୁଛୁ !!
ବାପା ଫଟୋ ,ଫଟୋ ବାପା !ଇଏ କଣ ମୋତେ ଗେଲ କରିବେ ? ସାବାସ୍ ! ସୁନା କହିବେ ?
ହଁ ତୁ କହିକି ଦେଖେ ବିଜି।ଏ ଫଟୋ ତୋ କଥା ଶୁଣି ନିଶ୍ଚୟ ଖୁସି ହେବ।
ମୁଁ ଆବା କାବା ହୋଇ ମାଆ କୋଳରେ ମୁହଁ ଗୁଂଜିଲି।ସେବେଠାରୁ ଯେବେ କିଛି ଭଲ କି ମନ୍ଦ ଖବର ହୁଏ ସେଇ ଫଟୋକୁ କୁହେ। ମୁଁ ବୁଝି ଯାଇଥିଲି ମଣିଷ ଫଟୋ ହେଲେ ଆଉ ମଣିଷ ହୋଇ ପାରନ୍ତି ନାହିଁ।ଆସ୍ତେ ଆସ୍ତେ ବଡ଼ ହେଲି ଓ ଜାଣିଲି ମଲେ ଲୋକେ ଫଟୋ ହୋଇ କାନ୍ଥରେ ଝୁଲନ୍ତି।
ଭାଇ କନେଷ୍ଟବଳ ଚାକିରୀଟିଏ ପାଇଲା।ମୋ ବଡ଼ ଭଉଣୀ କଲେଜ କମ୍ପୁଟର ଟିଚର ଓ ଆଉ ଜଣେ ପି ଡବ୍ଲ୍ୟୁ ଅଫିସ୍ ରେ ଜବ୍ କଲେ।ଜେଜେ ଦୁଇ ଭଉଣୀଙ୍କୁ ଆଗ ବାହା ଦେଲେ। ତାପରେ ଭାଇ ବାହା ହେଲା।ବାକି ରହିଲି ମୁଁ।ମୁଁ ଫିଜିକିସ୍ ରେ ପି ଏଚ ଡି କରି ରେଭେନ୍ସାରେ ଲେକ୍ଚର ହେଲି।ସେଠି ତୋ ବାବା ଡ଼ଃ ନିର୍ମାଲ୍ୟ ଦାଶ ପଲଟିକାଲ ସାଇନିସ୍ ର ଲେକ୍ଚର ମୋତେ ପସନ୍ଦ କଲେ।ଆମର ଆରେଞ୍ଜ କମ୍ ଲବ୍ ମ୍ୟାରେଜ୍ ହେଲା।ମ୍ୟାରେଜ୍ ବେଳେ ବାପାଙ୍କ ଏଇ ସାର୍ଟ ପ୍ୟାଣ୍ଟ ଓ ଫୁଟା ସାଲ୍ ଟି ମୋ ସହିତ ନେଇ ଆସିଥିଲି ଶାଶୁଘର।
ଏଇ ପ୍ୟାଣ୍ଟ ସାର୍ଟ ଓ ସାଲ୍ କୁ ଛୁଇଁଲେ ଛୁଇଁ ହୋଇଯାଏ ବାପାଙ୍କୁ।ଦିଶିଯାଏ ତାଙ୍କ ମୁହଁ।ମନେ ପଡେ ତାଙ୍କ ଗେଲ।ବାପା ସଶରିରୀରେ ଆମ ଗହଣେ ନଥିଲେ ସତ ଥିଲେ କିନ୍ତୁ ଥିଲେ ଆମ ଭିତରେ,ହୃଦୟରେ।ଅଦୃଶ୍ୟରେ ରହି ସେ ଆମକୁ ଦିଗ୍ ଦର୍ଶନ ଦେଇ ଭଲ ମଣିଷ କରି ପାରିଥିଲେ।ମୋ ବାପା ଆମର ଆଦର୍ଶ ,ହିରୋ ଥିଲେ।ତାଙ୍କୁ ମନେ ପକେଇ ପକେଇ ଆମେ ବଡ଼ ହେଇଛୁ।ସେ ଆମ ପ୍ରତିଟି କାର୍ଯ୍ୟ, ବ୍ୟବହାର ଓ ଭାବନାରେ ଥିଲେ ଓ ରହିବେ ଆମ ନିଃଶ୍ବାସ ଚାଲୁଥିବା ପର୍ଯ୍ୟନ୍ତ।
ମାମା ଏତକ କହିବା ଭିତରେ ଏତେ କାନ୍ଦିଥିଲେ ଯେ ତାଙ୍କ ଶାଢ଼ୀ ବି ତିନ୍ତି ଯାଇଥିଲା। କହିଲେ ଏ ସାର୍ଟ ପ୍ୟାଣ୍ଟ କି ସାଲ୍ ନୁହେଁ ବଂଶୀକା ଏ ଚଳନ୍ତି କଥାକୁହା ଡାକିଲେ ଓ କରୁଥିବା ଠାକୁରଙ୍କର ପିନ୍ଧା ବସ୍ତ୍ର।
ବାଷ୍ପରୁଦ୍ଧ କଣ୍ଠ ରେ କହିଲି ମାମା ...
🌼🌻ସମାପ୍ତ 🌻🌼
ସୌଜନ୍ୟ - ସୋସିଆଲ ମିଡ଼ିଆ
Comments
Post a Comment